ଯଦିଓ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପଲାସୀ ଯୁଦ୍ଧପରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଗଣନା କରାଯାଏ, କିନ୍ତୁ ଏହାର ୩୦ ପୂର୍ବରୁ ଜଣେ ଅଗ୍ରଣୀ ନେତା ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହି ବୀର ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ଆଜିର ଦିନରେ ଅର୍ଥାତ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିବା ସୁରେନ୍ଦ୍ର ସାଏ ୧୮୨୭ ମସିହାରେ ସମ୍ବଲପୁରର ଉତ୍ତରାଧିକାରୀ ପଦକୁ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସୁରେନ୍ଦ୍ର ସାଏଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧରେ ଇଂରେଜମାନଙ୍କୁ ଅସ୍ତବ୍ୟସ୍ତ କରାପାଇଥିଲେ । ଏହି ଆନ୍ଦୋଳନ ୧୩ ବର୍ଷ ଯାଏଁ ଚାଲିଥିଲା । ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ହାତରେ ବନ୍ଦୀହେବାରୁ ଏହି ଆନ୍ଦୋଳନର ଯବନିକା ପଡ଼ିଥିଲା । ସୁରେନ୍ଦ୍ର ସାଏଙ୍କୁ ମାତ୍ର ପାଞ୍ଚ ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲେ ମଧ୍ୟ ତାଙ୍କର ଦଣ୍ଡ ଅବଧି ଶେଷ ହେବାପରେ ବି ତାଙ୍କୁ ଇଂରେଜମାନେ ମୁକ୍ତ କରିନଥିଲେ, କିନ୍ତୁ ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ କିଛି ରାମଗଡ଼ର କିଛି ଜବାନମାନେ ଜେଲ୍ ଭାଙ୍ଗି ସାଏଙ୍କ ସମେତ ୩୨ ଜଣଙ୍କୁ ମୁକ୍ତ କରିଥିଲେ । ୧୭ ବର୍ଷ ପରେ ମୁକ୍ତ ହୋଇଥିବା ସାଏଙ୍କୁ ଧରାଇଦେବାପାଇଁ ଇଂରେଜ ସରକାର ସେ ସମୟରେ ୨୫୦ ଟଙ୍କାର ମୁଣ୍ଡ ଜାମିନ ମଧ୍ୟ ରଖିଥିଲେ । ମୁକ୍ତିପରେ ସୁରେନ୍ଦ୍ର ସାଏ ପୁଣିଥରେ ସମ୍ବଲପୁରବାସୀଙ୍କୁ ମେଳି କରି ପୁନର୍ବାର ପାହାଡ଼ ଉହାଡ଼ରେ ଲୁଚିରହି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ । ସେ ସମୟରେ ଇଂରେଜାମାନଙ୍କର ଆଧୁନିକ ଯନ୍ତ୍ରପାତି ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ପରବର୍ତ୍ତୀ ସମୟରେ ୧୯୬୨ ମସିହାରେ ଇଂରେଜ ମେଜର ଇମ୍ପେଙ୍କ ଶାନ୍ତିପୂର୍ଣ୍ଣ ଆହ୍ୱାନକ୍ରମେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରି ସ୍ୱଭାବିକ ଜୀବନ ବଞ୍ଚିବା ଆରମ୍ଭ କରିଥିଲେ । କିନ୍ତୁ ଇମ୍ପଙ୍କ ମୃତ୍ୟୁପରେ ୧୯୬୪ ମସିହାରେ ସୁରେନ୍ଦ୍ର ସାଏଙ୍କୁ ଶୋଇଥିବା ଅବସ୍ଥାରେ ଗିରିଫ କରାଯାଇଥିଲା ଏବଂ ତାଙ୍କୁ ଆଜୀବନ କାରବାସ ଦିଆଯାଇଥିଲା । ୧୮୮୪ ମସିହାର ଫେବୃଆରୀ ମାସ ୨୮ ତାରିଖରେ ସୁରେନ୍ଦ୍ର ସାଏ ଆଜୀବନ କାରାବାସ କାଟୁଥିବାବେଳେ ଅସୁରଗଡ଼ ଦୁର୍ଗରେ ମୃତ୍ୟୁବରଣ କରିଥିଲେ ।